ସାରା ଓଡ଼ିଶାରେ ଆଗାମୀ ବାତ୍ୟା ‘ଦାନା’କୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ସମୁଦ୍ରରେ ବଳ ଗୋଟାଉଥିବା ବାତ୍ୟା ଆସନ୍ତା ୨୪ ତାରିଖରେ ଲାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବାତ୍ୟାର ପ୍ରଭାବରେ ପ୍ରାୟ ୧୦୦-୧୨୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏସଆରସିଙ୍କ ତରଫରୁ ସୂଚନା ଦିଆଯାଇଛି ।
ତେବେ ଆଜି ଘୂର୍ଣ୍ଣିବଳୟ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପରେ ୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିବ ।
ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି କେତେକ ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ୨୬ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି ।
ଯେଉଁମାନେ ବି ସମୁଦ୍ର ଭିତରେ ରହିଛନ୍ତି, ସେମାନେ ୨୧ ତାରିଖ ସୁଦ୍ଧା ଫେରି ଆସିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ସ୍ପଷ୍ଟ ହେବ । ତେବେ ପ୍ରାଥମିକ ଆକଳନ ଅନୁଯାୟୀ ଏହା ଓଡ଼ିଶା- ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।