Odisha weather: ୨୭ରୁ ୩ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, କାଲି ଅବପାତର ରୂପ ନେବ ଲଘୁଚାପ |

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଭାରତ ମବହାସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ଅର୍ଥାତ ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଅବପାତରେ ପରିଣତ ହେବ । ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ ତାମିଲନାଡୁ-ଶ୍ରୀଲଙ୍କା ଉପକୂଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ପ୍ରଭାବରେ ଓଡ଼ିଶାରେ ୩ ଦିନ ବର୍ଷା ଲାଗି ରହିବ ।

ଲଘୁଚାପ ଆସନ୍ତାକାଲି ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରବର୍ତ୍ତୀ ସମୟରେ ଆହୁରି ଅଧିକ ଘନୀଭୂତ ହେବ । ଏହା ପ୍ରଭାବରେ ୨୫ରୁ ୨୭ ତାରିଖ ମଧ୍ୟରେ ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବର ଆକଳନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୫ ଓ ୨୬ ତାରିଖରେ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ୨୭ ତାରିଖରୁ ୩ ଦିନ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ିଘଡ଼ି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଓଡ଼ିଶାରେ ଆଗାମୀ ୨୭, ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତା ୨୭ ତାରିଖରେ ୬ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼଼ଘଡ଼ି ହୋଇପାରେ । ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ୨୮ ତାରିଖରେ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ସେହପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *