Cyclone : ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା, ପାଣିପାଗ ବିଭାଗ ଦେଲା ଏମିତି ସୂଚନା |

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଶକ୍ତିଶାଳୀ ହୋଇ ୮ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୯ତାରିଖ ରାତି ସୁଦ୍ଧା ଏହା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ୯ ତାରିଖ ମଧ୍ୟରାତିରେ ବାତ୍ୟା ‘ରେମଲ୍‌’ ସାଗର ଦ୍ବୀପ ଓ ଖେପୁପରା ମଝିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ହେଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ପାଣିପାଗ କେନ୍ଦ୍ର କହିଛି ଯେ, ୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ। ସେହିପରି ଆଜି ରାତିଠାରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ସୂଚନା ଜାରି କରିଛନ୍ତି। ମୁଖ୍ୟତଃ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଅପରପକ୍ଷେ, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଥିବା ବେଳେ ଶନିବାର ଏହା ବାତ୍ୟା ରୂପ ନେବ ଏବଂ ୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଛୁଇଁବ।

ବାତ୍ୟା ପ୍ରଭାବରେ ୭ ତାରିଖ ରାତିରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୮ ରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝରର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ୧୦ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ପୁଣି ବଢ଼ିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହିବାର ଥିବାବେଳେ ଭୁବନେଶ୍ୱରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ।

Leave a Reply

Your email address will not be published. Required fields are marked *