ମା’ କାକଟପୁର ମଙ୍ଗଳା ଯାଏ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ ହାତ ଯୋଡ଼ିଦେବେ

ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର ଏଠାରେ ପୁଣ୍ୟତୋୟା ପୁରାଣ ବର୍ଣ୍ଣିତ ପ୍ରାଚୀନଦୀ ତଟରେ ବିରାଜମାନ କରିଛନ୍ତି ସର୍ବ ମଙ୍ଗଳକାରିଣୀ ମାଆ ମଙ୍ଗଳା । ଏହା ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ । ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏଠାକୁ ବର୍ଷ ସାରା ଭକ୍ତମାନେ ଆସିଥାନ୍ତି । କାକଟପୁରରେ ଦୃଶ୍ୟମାନ ଏବେକାର ମଙ୍ଗଳାଙ୍କ ମନ୍ଦିର 1548 ମସିହାରେ ପଞ୍ଚାନନ ମିତ୍ର ରାୟ ଚୂଡ଼ାମଣି ନାମକ ସ୍ଥାନୀୟ ଜମିଦାର ନିର୍ମାଣ କରିଥିଲେ ବୋଲି ଇତିହାସରୁ ଜଣାଯାଏ । ଜନଶ୍ରୁତିରୁ ଜଣାଯାଇଥାଏ ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀ ଗର୍ଭରେ ଲୁଚିରହି ଥିଲେ । ଏକଦା ଜଣେ ଧୀବର ପ୍ରାଚୀରେ ନୌକା ଚଳାଇ ଯାଉଥିବାବେଳେ ପ୍ରବଳ ବନ୍ୟା ଆସିଲା ।

ଧୀବର ଜଣକ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ, ଗୋଟିଏ ଯାଗାରେ ତା’ର ନୌକାଟି ସ୍ଥିରହୋଇ ରହି ଯିବାରୁ ସେ ନାବ ସହ ନିଜେ ରକ୍ଷା ପାଇଲା । କିନ୍ତୁ ଏହାର କିଛି ରହସ୍ୟ ସେ ବୁଝିପାରିଲା ନାହିଁ । ଏକଦା ସେ ସକାଳୁ ସ୍ବପ୍ନ ଦେଖିଲା, ମାଆ ତାକୁ କହୁଛନ୍ତି, “ତୋର ଡଙ୍ଗାଟି ଯେଉଁଠାରେ ଅଟକି ଥିଲା ମୁଁ ସେହିଠାରେ ଅଛି । ମୋତେ ଉଦ୍ଧାରକରି ମୋର ପୂଜାର୍ଚ୍ଚନାର ବ୍ୟବସ୍ଥା କର” । ସ୍ଵପ୍ନାଦେଶ ପାଇ ଧୀବର ଯାଇ ମାଆଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କଲା ଏବଂ ନିକଟ ମଙ୍ଗଳପୁର ଗ୍ରାମରେ ସ୍ଥାପନା କରି ପୂଜା ବ୍ୟବସ୍ଥା କଲା ।

ଥରେ ଗୋଟିଏ କାକ ପ୍ରାଚୀନଦୀକୁ ଲମ୍ଫ ଦେଲା । ବହୁଦିନ ଅତିକ୍ରାନ୍ତ ହୋଇଗଲା କିନ୍ତୁ ସେ କାକଟି ଆଉ ନଦୀରୁ ବାହାରକୁ ଆସିଲା ନାହିଁ । କାକଟି ଠିକ ମା’ମଙ୍ଗଳାଙ୍କ ବିଗ୍ରହ ଯେଉଁ ସ୍ଥାନରୁ ମିଳିଥିଲା ସେହି ସ୍ଥାନରେ ନଦୀମଧ୍ୟରେ ବୁଡ଼ିଯାଇ ଥିଲା । ବୋଧ ହୁଏ ମଙ୍ଗଳାଙ୍କ ସହ ଏହି କାକର କିଛି ସମ୍ପର୍କଅଛି ଏହା ଭାବି ଲୋକେ ଏ ଘଟଣାରୁ କାକ ନାମକୁ ନେଇ ମଙ୍ଗଳପୁର ଗ୍ରାମ ନିକଟରେ ଗୋଟିଏ ଗ୍ରାମକୁ ନାମିତ କଲେ କାକଟକ ବୋଲି ଯାହା ପରେ କାକଟପୁର ହୋଇଛି ।

ଜନଶ୍ରୁତିରୁ ଜାଣିବାକୁ ମିଳିଥାଏ ଯେତେ ବେଳେ ପ୍ରାଚୀ ଗର୍ଭରେ ସାଧବପୁଅମାନେ ବୋଇତମେଲି ବାଣିଜ୍ୟ କରିବାପାଇଁ ଯାଉଥିଲେ ସେ ସମୟରେ କାକଟପୁର ଅଞ୍ଚଳର ଦଧିବାମନ ସାହୁ ନାମରେ ଜଣେ ସାଧବ ପୁଅର ସିଂହଳଦେଶ ସହ ବାଣିଜ୍ୟ କାରବାର ଚାଲୁଥିଲା । ସେ ଶ୍ରୀଲଙ୍କାରୁ ଗୋଟିଏ ଦେବୀଙ୍କ ମୂର୍ତ୍ତି ଆଣି କାକଟପୁରରେ ଏକ ମନ୍ଦିର ତୋଳାଇ ସ୍ଥାପନ କରିଥିଲେ ।

ଭୀଷଣ ବନ୍ୟାରେ ମନ୍ଦିରଟି କାଳକ୍ରମେ ଧ୍ବଂସ ହୋଇ ଦେବୀ ନଦୀ ଗର୍ଭରେ ପଡ଼ି ରହିଥିଲେ । ଏକଦା ଜଣେ ଧୀବର ନଦୀରେ ମାଛ ଧରୁଥିବା ବେଳେ ଦେବୀ ଜାଲରେ ପଡ଼ି ଉଦ୍ଧାର ହେଲେ ଓ ପୁଣି ତାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଲା । ଦେବୀ ଏବେ କାକଟପୁରର ମା’ ମଙ୍ଗଳାଭାବେ ପ୍ରସିଦ୍ଧ । ମା’ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ନିବିଡ଼ ଭାବେ ଜଡ଼ିତ ।

Leave a Reply

Your email address will not be published. Required fields are marked *