ତୃତୀୟ ଥର ଆଇପିଏଲ ଚାମ୍ପିୟନ୍ ହେଲା କୋଲକାତା ମ୍ୟାଚ ହାରିଲା ପରେ ପ୍ୟାଟ କ୍ୟୁମିନ୍ସ ଙ୍କ ବଡ଼ ବୟାନ ଏହି ଭୁଲ ପାଇଁ ଆମେ କାନ୍ଦିଲୁ

ଆଇପିଏଲ-୨୦୨୪ । ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍‌କୁ ପରାସ୍ତ କରି ତୃତୀୟ ଥର ଆଇପିଏଲ ଟ୍ରଫି ହାତେଇଛି । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ ପରାସ୍ତ କରିଛି । କମିନ୍ସ ସେନାର ୧୧୪ ରନ୍ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ହାସଲ କରି ୧୦ ବର୍ଷ ପରେ ଚାମ୍ପିୟନ ହୋଇଛି। କୋଲକାତା ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ ଜିତିଥିଲା। ସେହି ସମୟରେ ଅଧିନାୟକ ଗୌତମ ଗମ୍ଭୀର ଥିଲେ ଏବଂ ଏହି ସିଜିନ୍‌ରେ ସେ ଦଳର ମେଣ୍ଟର ଅଛନ୍ତି। ତାଙ୍କ ମାର୍ଗଦର୍ଶନରେ ଏହି ଦଳ ପୁଣି ଥରେ ଚାମ୍ପିଅନ ହୋଇଛି। ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ କୋଲକାତା ବୋଲର। ରାହୁଲ ତ୍ରିପାଠୀ ୯, ଆଡେନ ମାର୍କ୍ରାମ ୨୦, ନୀତୀଶ କୁମାର ରେଡ୍ଡୀ ୧୩, ହେନ୍ରିଚ କ୍ଲାସେନ ୧୬, ଶାହବାଜ ଅହମ୍ମଦ ୮, ଅବଦୁଲ ସମଦ ୪, ପାଟ କମିନ୍ସ ୨୪, ଜୟଦେବ ଉଦାଦକତ ୪ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସେହିପରି ସୁନୀଲ ନାରାୟଣ, ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ତେବେ ମାତ୍ର ୧୧୪ ରନର ଛୋଟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଶ୍ରେୟସ ସେନା । ହାଇଦ୍ରାବାଦର ଏହି ଛୋଟ ଲକ୍ଷ୍ୟକୁ ମାତ୍ର ୧୧ତମ ଓଭରରେ ୨ ୱିକେଟ ହରାଇ ସଫଳତାର ସହ ହାସଲ କରି ନେଇଛି କୋଲକାତା । ରହମାନୁଲ୍ଲାହ ଗୁରବାଜ ଏବଂ ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ଏବଂ ପ୍ୟାଟ କମିନ୍ସଙ୍କ ଚମ୍ପିଆନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଛନ୍ତି । ହାଇଦ୍ରାବାଦର ଦୁବଳ ବୋଲିଂ ବିଭାଗର ଫାଇଦା ଉଠାଇଛି ଶ୍ରେୟସ ସେନା । ଯାହା ଫଳରେ ମାତ୍ର ୧୦.୩ ଓଭରରେ ୧୧୪ ରନ୍ କରି ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଉପରେ କବଜା କରିଛି କୋଲକାତା ନାଇଟ ରାଇଡର୍ସ ।

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରେୟସ ଆୟର ଅଧିନାୟକ ଭାବରେ ଆଇପିଏଲ ଚମ୍ପିଆନ୍ ହୋଇଥିବା ବେଳେ କୋଲକାତାର ସଦସ୍ୟ ଭାବରେ ଗମ୍ଭୀର ତୃତୀୟ ଥର ଟ୍ରଫି ହାତେଇଛନ୍ତି । ପୂର୍ବରୁ କୋଲକାତା ୨୦୧୨ ଏବଂ ୨୦୧୪ ମସିହାରେ ଗମ୍ଭୀରଙ୍କ ନେତୃତ୍ୱରେ ଆଇପିଏଲ ଚମ୍ପିଆନ୍ ସାଜିଥିଲା । ତେବେ ୧୦ ବର୍ଷ ପରେ କୋଲକାତା ପୁଣିଥରେ ଏହି ଟ୍ରଫି ଉପରେ କବଜା କରି ତୃତୀୟ ଥର ପାଇଁ ବିଜୟ ତିଳକ ପିନ୍ଧିଛି । ସେହିପରି ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ ସର୍ବାଧିକ ଆଇପିଏଲ ଟ୍ରଫି ହାତେଇଥିବା ଦଳ ସାଜିଛି କୋଲକାତା ନାଇଟ ରାଇଡର୍ସ ।

ଚେନ୍ନାଇ ଏବଂ ମୁମ୍ବାଇ ୫ ଥର ଲେଖାଏଁ ଚମ୍ପିଆନ୍ ହୋଇଥିବା ବେଳେ କୋଲକାତା ତୃତୀୟ ଥର ଟ୍ରଫି ଉପରେ ଅଧିକାର ସାବ୍ୟସ୍ତ କରିଛି । ଆଇପିଏଲ ୨୦୨୪ରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଥିବା ହାଇଦ୍ରାବାଦ ଫାଇନାଳରେ ବଳି ପଡ଼ି ଯାଇଛି । କୋଲକାତାର ବୋଲିଂ ଡିପାର୍ଟମେଣ୍ଟ ଆଗରେ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛି ହାଇଦ୍ରାବାଦର ଶକ୍ତିଶାଳୀ ବ୍ୟାଟିଂ ଅର୍ଡର । ଚଳିତବର୍ଷ ୨୮୭ ରନ୍ ଭଳି ସ୍କୋର କରିଥିବା ହାଇଦ୍ରାବାଦ ଆଜି ଫାଇନାଲ ମ୍ୟାଚରେ ମାତ୍ର ୧୧୩ ରନରେ ଅଲ ଆଉଟ ହୋଇ ଯାଇଥିଲା । ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା।

Leave a Reply

Your email address will not be published. Required fields are marked *