ପ୍ରକୃତିର ଏ ନିଆରା ସୃଷ୍ଟିକୁ ଯେତେ ପ୍ରଶଂସା କଲେ ବି ଶବ୍ଦର ଅଭାବ ପଡ଼ିଯିବ । ଅନେକ ସମୟରେ ମଣିଷମାନେ ସ୍ୱାର୍ଥପର ହୋଇଯାଆନ୍ତି ପଛେ, ପଶୁ, ପକ୍ଷୀମାନେ ଆମର ମନର ଭାବନକୁ ସଠିକ୍ ଭାବେ ପଢ଼ିପାରନ୍ତି । ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସାଧାରଣ ମୟୂର ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ତା’ର ମନ ମଧ୍ୟ ସେତିକି ସୁନ୍ଦର ବୋଲି ଆଜି ସେ ପ୍ରମାଣିତ କରିଛି । ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ।
ଭିଡିଓରେ ଦେଖାଯାଉଛି, ଗୋଟିଏ ମୟୂର ସ୍କୁଲରେ ପିଲାଙ୍କ ସହ ପାଠ ପଢ଼ୁଛି । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଉଥିବା ବେଳେ ଏଠାରେ କିନ୍ତୁ ଦେଖିବାକୁ ମିଳିଛି ତା’ର ବ୍ୟତିକ୍ରମ । ବିନା ଡରରେ, ବିନା ସଙ୍କୋଚରେ ଏଇ ମୟୂରଟି କେମିତି ପିଲାଙ୍କ ପାଖକୁ ଦୌଡ଼ି ଆସିଛି ତା’ ଭାବିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । ତେବେ ଥରେ ନୁହେଁ କି ଦୁଇଥର ନୁହେଁ, ମୟୂରଟି ସବୁବେଳେ ଜଙ୍ଗଲରୁ ସ୍କୁଲ ଭିତରକୁ ଉଡ଼ି ଆସୁଥିବା ଦେଖାଯାଉଛି ।
ଜଣାପଡ଼ିଛି ଯେ, ଟିକିରିର ଗୋକୁଳମୁଣ୍ଡା ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ଯେଉଁ ବିଦ୍ୟାଳୟକୁ ଯାଆନ୍ତି, ସେ ସେଠାକାର ପରିବେଶକୁ ପ୍ରଥମେ ସଜାଡ଼ି ନେଇଥାନ୍ତି । ପିଲାଙ୍କ ପାଠପଢ଼ାରେ ନୂଆ ଢାଞ୍ଚା, ନୂଆ କୌଶଳ ପ୍ରୟୋଗ କରି ରବୀନ୍ଦ୍ର ସାର ବେଶ୍ ସିଦ୍ଧହସ୍ତ । କେବଳ ଏତିକି ନୁହେଁ, ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେବାରେ ମଧ୍ୟ ସେ ବେଶ୍ ମାହିର ।
ତେବେ କେବଳ ମଣିଷ ନୁହନ୍ତି, ପଶୁ, ପକ୍ଷୀଙ୍କ ପ୍ରତି ମଧ୍ୟ ରବୀନ୍ଦ୍ର ସାରଙ୍କର ରହିଛି ଅନେକ ଦୁର୍ବଳତା । ତାଙ୍କର ଏହି ସରଳ ହୃଦୟ ପାଇଁ ପଶୁ, ପକ୍ଷୀମାନେ ତାଙ୍କ ପଛେପଛେ ବୁଲିଥାନ୍ତି । ତେଣୁ ପାଠପଢ଼ା ସମୟରେ ମୟୂରଟି ଶ୍ରେଣୀ ଗୃହକୁ ଚାଲିଆସି ରବୀନ୍ଦ୍ର ସାରଙ୍କୁ ଖୋଜିଥାଏ । ସତରେ ରବୀନ୍ଦ୍ର ସାରଙ୍କ ଏହି ନିଆରା ପକ୍ଷୀପ୍ରେମକୁ ଯେତେ ପ୍ରଶଂସା କଲେ କମ୍ ହେବ ।