ଏଇ କିଛି ଦିନ ତଳେ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ଦାନା । ଦାନା ପ୍ରଭାବରେ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତି ହୋଇଛି । ଅବଶ୍ୟ ଦାନା ଉପକୂଳ ଛୁଇଁବା ପରେ ଦୁର୍ବଳ ହୋଇଥିଲା । କିନ୍ତୁ ଓଡ଼ିଶା ଉପକୂଳ ହିଟ୍ ହେବା ବେଳେ ଘଂଟାପ୍ରତି ସର୍ବାଧିକ ୧୧୦ ରୁ ୧୨୦ କିଲୋମିଟର ବେଗରେ ବୋହିଥିଲା ପବନ । ଏବେ ବି ବାତ୍ୟାର କ୍ଷୟକ୍ଷତି ଆକଳନ ଚାଲିଛି । ଏହାରି ମଧ୍ୟରେ ପୁଣି ନଭେମ୍ବର ମାସରେ ବାତ୍ୟା ହେବାକୁ ନେଇ ପାଞ୍ଜି କହିବା ପରେ ଛାନିଆ ହେଲେଣି ଉପକୂଳବାସିନ୍ଦା । ଆସନ୍ତା ନଭେମ୍ବର ୫ରେ ପୁଣି ଓଡ଼ିଶାକୁ ରହିଛି ବାତ୍ୟା ଭୟ ।
ଅବଶ୍ୟ ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିନି କି ଆକଳନ ବି କରିନି । ହେଲେ ପଞ୍ଜିକାରେ ଲେଖାଥିବା ବାତ୍ୟାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ତେବେ ବାତ୍ୟାର ରୂପରେଖ କଣ ରହିବ ? କେତେ ପ୍ରଭାବ ପଡ଼ିବ ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି । ପୂରା ଓଡ଼ିଶାରେ ‘ଦାନା’ର ପ୍ରଭାବ ପଡ଼ିନଥିବା ବେଳେ ଯେଉଁ କିଛି ଅଞ୍ଚଳରେ ପଡ଼ିଛି ତାହା ବି କିଛି କମ୍ ନୁହେଁ । ବିଶେଷକରି ‘ଦାନା’ ପ୍ରଭାବରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।
ପାଣିପାଗ ବିଭାଗ ନୁହେଁ ବରଂ ଖଡ଼ିରତ୍ନ ପଞ୍ଜିକା ଏଥର ଚିନ୍ତା ବଢାଇଛି । ପଞ୍ଜିକା ଲେଖାଯାଇଛି, ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏହାପୁଣି ଅକ୍ଟୋବର ୧୭ରୁ ୨୩ ସହ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ ।
ପାଣିପାଗ ବିଭାଗର ପୂର୍ବାନୁମାନର ଢେର ପୂର୍ବରୁ ଓଡ଼ିଶା ଉପକୂଳରେ ଅକ୍ଟୋବରରେ ବାତ୍ୟା ହିଟ୍ ହେବ ବୋଲି କହିଥିଲା ପାଞ୍ଜି । ଯାହା ସତ ପ୍ରମାଣିତ ହୋଇସାରିଛି । ଏବେ ପୁଣି ନଭେମ୍ବରରେ ବାତ୍ୟା ହେବ ବୋଲି କୁହାଯାଇଥିବାରୁ ଲୋକେ ଛାନିଆ ହେଲେଣି । ତେବେ ପାଞ୍ଜିର ପୂର୍ବାନୁମାନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ପାଣିପାଗ ବିଭାଗ କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନି କି ସମୁଦ୍ରରେ ଲଘୁଚାପ ଦାନା ବାନ୍ଧୁଥିବା ନେଇ କୌଣସି ସୂଚନା ଏଯାବତ ନାହିଁ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଣ୍ଡାମାନ ସାଗରରେ ଲଘୁଚାପ ହେବା ପୂର୍ବରୁ ଭାରତୀୟ ପାଣିପାଗ ବିଭଗ ବା ଆଇଏମଡି ବାତ୍ୟା ନେଇ ଖବର ଦେଇଥିଲା । କେଉଁଠି ଓ କେତେବେଳେ ବାତ୍ୟା ମାଡ଼ ହେବ ସେନେଇ ବି ସୂଚନା ଦିଆଯାଇଥିଲା । କେନ୍ଦ୍ରାପଡ଼ାକୁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ କ୍ଷତି କରିଥିଲା ଦାନା । ତେଣୁ ଏବେ ପୁଣି ଥରେ ବାତ୍ୟା ଖବର ଆସୁଥିବାରୁ ଚର୍ଚ୍ଚା ଜୋର । ହେଲେ ବାତ୍ୟାକୁ ନେଇ ଆଦୌ ଭୟଭୀତ ନହେବା ସହିତ ପାଣିପାଗ ଖବରକୁ ଅପେକ୍ଷା କରିବାକୁ ଅନୁରୋଧ ।