ଆଜି ଅକ୍ଟୋବର ୨୩ ଆଜି ୨୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା |

ପାଖଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ଏପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ ପଏଣ୍ଟ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଏହା ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପ୍ରାଥମିକ ଆକଳନ କରିଛି । ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଦୁଇ ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଜିଲ୍ଲାରେ ସମସ୍ତ ପ୍ରକାର ଜରୁରୀକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ପୂର୍ବ ପ୍ରସ୍ତୁତି ପାଇଁ ସଂପୃକ୍ତ ସମସ୍ତ ବି.ଡ଼ି.ଓ. ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ 105 ଟି ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେଠାରେ ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଲାଇଟ୍, ଯାନ୍ତ୍ରିକ କଟର, ପରିଚ୍ଛନ୍ନତା ଏବଂ ଅନ୍ୟ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି ।

ବାତ୍ୟା, ବନ୍ୟାପ୍ରବଣ ତଥା ତଳିଆ ଜଳମଗ୍ନ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ହେଲେ ସଂପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ସେମାନଙ୍କୁ ସଚେତନ କରାଯିବ ।ଆଶ୍ରୟସ୍ଥଳୀରେ ଶୁଖୁଲା ଖାଦ୍ୟ, ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଉଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସିରେ ଜିଲ୍ଲାର ସମସ୍ତ ବି.ଡ଼ି.ଓ, ତହସିଲଦାର ଏବଂ ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଏବଂ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସଠିକ୍ ଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।

ସମୁଦ୍ର ଭିତରେ ଥ‌ିବା ସମସ୍ତ 911ଟି ମାଛ ଧରା ଡ଼ଙ୍ଗା ତଥା ଟ୍ରଲର ଗଭୀର ସମୁଦ୍ରରୁ କୂଳକୁ ଫେରି ସାରିଛନ୍ତି । ଆବଶ୍ୟକ ସ୍ଥଳରେ ଏକ ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । 22 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି । ତେବେ 23 ଏବଂ 24 ତାରିଖ ବେଳକୁ 20 ମିମିରୁ ଅଧ‌ିକ ବର୍ଷା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *