୨୨ ପାହାଚର ନାମ କଣ କଣ ? କ’ଣ ରହିଛି ୨୨ ପାହାଚ ନିର୍ମାଣ ପଛର ରହସ୍ୟ ଜାଣନ୍ତୁ |

ସନାତନ ଧର୍ମର 4ଆଦି ପୀଠ ମଧ୍ୟରୁ ଅନ୍ୟତମ ପୁରଷୋତ୍ତମ କ୍ଷେତ୍ର ପୁରୀ । ରତ୍ନବେଦୀରେ ବିରାଜମାନ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବା ପାଇଁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି । ସିଂହଦ୍ଵାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରନ୍ତି ଶ୍ରଦ୍ଧାଳୁ । ତେବେ ସେହି ବାଇଶି ପାହାଚକୁ ନେଇ ରହିଛି ଅନେକ ଇତିହାସ, କିମ୍ବଦନ୍ତୀ ଓ ପୌରାଣିକ କଥାବସ୍ତୁ । ଜାଣନ୍ତି ସେସବୁ ସମ୍ପର୍କରେ । ଶ୍ରୀମନ୍ଦିରର ସିଂହଦ୍ବାର ଗୁମୁଟରୁ ଆରମ୍ଭ ହୋଇ ଭିତର ବେଢା ପର୍ଯ୍ୟନ୍ତ ଲମ୍ବିଥିବା ବାଇଶି ପାହାଚ ଅତ୍ୟନ୍ତ ପବିତ୍ର ସ୍ଥାନ । ଏଠାରେ ଛୋଟ ପିଲାଙ୍କ ଆୟୁ ବୃଦ୍ଧି ପାଇଁ ମାତା ପିତାମାନେ ସେମାନଙ୍କୁ ଗଡ଼ାଇ ଦେଇଥାଆନ୍ତି ।

ପିତୃପୁରୁଷଙ୍କ ଆତ୍ମାର ମୁକ୍ତି ପାଇଁ ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ଡ ଦାନ କରିଥାନ୍ତି ଶ୍ରଦ୍ଧାଳୁ । ତେବେ ସବୁଠୁ ବଡ କଥା ହେଉଛି ବାଇଶି ପାହାଚରେ ରହିଛି ଯମ ଶିଳା । ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ଭକ୍ତ ଏହା ଉପରେ ପାଦ ଦେଇ ଯିବାର ବିଧି ଥିବା ବେଳେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ଏହି ଶିଳାକୁ ପାଦରେ ସ୍ପର୍ଶ କରିବା ନେଇ ବାରଣ ରହିଛି । କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭ କରିଥିଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ ।

ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି । ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ ।

୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି । ଶ୍ରୀମନ୍ଦିର ଚୂନରା ସେବାୟତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶରତ ମହାନ୍ତି ଶ୍ରୀମନ୍ଦିର ବାଇଶି ପାହାଚ ମାହାତ୍ମ୍ୟ ସମ୍ପର୍କରେ କହିଛନ୍ତି, ଶ୍ରୀମନ୍ଦିରରେ ଚାରିଟି ପ୍ରସ୍ଥାନ ଦ୍ଵାର ରହିଛି । ସେହି ଭିତରୁ ମୁଖ୍ୟ ଦ୍ବାର ହେଲା ସିଂହଦ୍ୱାର ।

ସିଂହଦ୍ୱାରରୁ କୁରୁମ ବେଢ଼ା ପର୍ଯ୍ୟନ୍ତ ବାଇଶି ପାହାଚ ଗୋଟି ପାହାଚ ରହିଛି । ଏହି ପାହାଚ ହିଁ ମାଧ୍ୟମ ରହିଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ । ବାଇଶି ପାହାଚ ପ୍ରକାରର ଦୋଷ, ଦୁର୍ବଳତାକୁ ତ୍ୟାଗ କଲେ ହିଁ ମନୁଷ୍ୟ ପୁରୁଷୋତ୍ତମଙ୍କ ସାନ୍ନିଧ୍ୟ ଲାଭ କରିପାରିବ । ଏଥିପାଇଁ ବାଇଶି ପାହାଚର ସୃଷ୍ଟି କରାଯାଇଛି । ପ୍ରବାଦ ରହିଛି ବାଇଶି ଗୋଟି ଚଣ୍ଡିକା ତଥା ମାତୃଶକ୍ତି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ବାଇଶି ଗୋଟି ସିଡିରେ ରୂପାନ୍ତରିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *