ବଡ଼ ଘୋଷଣା : ସାଧାରଣ ବଜେଟ୍, ମଧ୍ୟବିତ୍ତ, ମହିଳା, ଗରିବଙ୍କୁ ମିଳିପାରେ ପ୍ରାଧାନ୍ୟ…

ବଜେଟ୍ ଉପସ୍ଥାପନାକୁ ଆଉ କେଇ ଘଣ୍ଟା ବାକି । ଦିନ ୧୧ଟାରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଦସ୍ତାବିଚ୍ ଆଗତ କରିବେ । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ସୀତାରମଣ । ମୋଦି-୩.O ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଏଥର ବଜେଟରେ ମଧ୍ଯବିତ୍ତ, ମହିଳା ଏବଂ ଗରିବଙ୍କୁ ମିଳିପାରେ ସର୍ବାଧ‌ିକ ପ୍ରାଧାନ୍ୟ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସଂକେତ ଦେଇଛନ୍ତି ।

ଶୁକ୍ରବାର ନିଜ ପ୍ରାକ୍- ବଜେଟ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ୩ ବର୍ଗଙ୍କ ମଙ୍ଗଳ କାମନା କରିଛନ୍ତି । ଦେବୀ ଲକ୍ଷ୍ମୀ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ଆଶୀର୍ବାଦ ଢାଳି ଦିଅନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ଦରଦାମ ବୃଦ୍ଧି ଏବଂ ଟିକସ ଚିନ୍ତାରେ ସନ୍ତୁଳି ହେଉଛି ମଧ୍ୟବିତ୍ତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସେମାନଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ମଧ୍ୟମ ଆୟବର୍ଗଙ୍କୁ ଟିକସ ରିହାତି ମିଳିପାରେ । ମୋଦି ୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ଟିକସ କମାଇ ସେମାନଙ୍କୁ ଖୁସ୍ କରିପାରନ୍ତି ବୋଲି ଆଶା କରାଯାଉଛି ।

ସେହିପରି ମନ୍ଥର ଅଭିବୃଦ୍ଧିରେ ଜୀବନ ଫୁଙ୍କିବା ତଥା ଅର୍ଥନୀତିରେ ଚାହିଦା ଫେରାଇବା ପାଇଁ ଅର୍ଥମନ୍ତ୍ରୀ କିଛି ପ୍ରସ୍ତାବ ଆଣିପାରନ୍ତି । ନୂଆ ଟିକସ ଢାଞ୍ଚା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଟିକସମୁକ୍ତ ହୋଇପାରେ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଆୟ ପାଇଁ ୨୫%ର ନୂଆ ଟିକସ ସ୍ଲାବ୍ ଅଣାଯାଇପାରେ । ଏବେ ଏଥିରେ ୬ଟି ଟିକସ ଥାକ ରହିଛି । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟରେ ୩୦% ଟିକସ ଲାଗୁଛି । ନୂଆ ଟିକସ ଢାଞ୍ଚା ଅଧୀନରେ ମୂଳ ଟିକସ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ ରହିଛି ।

Leave a Reply

Your email address will not be published. Required fields are marked *