Maa Tarini ଙ୍କ କାହାଣୀ, କେମିତି ଆସିଲେ ମା କେଉଁଝର ଜାଣନ୍ତୁ ମାଙ୍କ ପୁରା କାହାଣୀ |

ଓଡ଼ିଶାର ଏକ ପ୍ରମୁଖ ଶକ୍ତି ପୀଠ ଏହି ଘଟଗାଁ ମା ତାରିଣୀ ପୀଠ।ମା’ଙ୍କ ମୂର୍ତ୍ତିର ଆବିର୍ଭାବ ସମ୍ବନ୍ଧିତ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ଶ୍ରୀରାମଚନ୍ଦ୍ର ମା ସୀତାଙ୍କୁ ଉଦ୍ଧାର କରିବା ପାଇଁ ମା ଦୁର୍ଗତି ନାଶିନୀ ଦୁର୍ଗା ଙ୍କୁ ଆରାଧନା କରିଥିଲେ। କଥିତ ଅଛି ଯେ ଶୂନ୍ୟ ବାଣୀ ହେଲା ଶ୍ରୀରାମଚନ୍ଦ୍ର ଆଖି ନଖୋଲିବା ପାଇଁ। ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜାରେ ମା ଆବିର୍ଭୁତ ହୋଇଥିଲେ। ଏହା ଅନୁଭବ କରି ଶ୍ରୀରାମଚନ୍ଦ୍ର ତାଙ୍କ ପଦ ସ୍ପର୍ଶ କରି ଅଜାଣତରେ ତାଙ୍କ ଆଖି ଖୋଲି ଯିବାରୁ ମା ଦୁର୍ଗାଙ୍କ ‌ରୂପ ମାଆ ତାରିଣୀ ଙ୍କ ରୂପରେ ପରିବର୍ତ୍ତିତ ହୋଇ ଯାଇଥିଲା। ଏକଥା ମଧ୍ୟ କୁହାଯାଏ ଯେ ମା ଦୁର୍ଗାଙ୍କ ତିନି ସ୍ଵରୁପ ଦୁର୍ଗା, ବିଜୁଳି କନ୍ୟା ଓ ତାରିଣୀ। କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ମା ତାରିଣୀ ଙ୍କ ମନ୍ଦିର ୧୪୮୦ ମସିହାରେ ତତ୍କାଳୀନ କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜଦେଓଙ୍କ ସମୟରେ ନିର୍ମିତ ହେଇଥିଲା।

ପୁରୀ ଗଜପତି ମହାରାଜାଙ୍କ ସମ୍ମତିରେ ଗୋବିନ୍ଦ ଭଞ୍ଜଦେଓଙ୍କ ଦ୍ଵାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ସହିତ ଓଡ଼ିଶାର ଗଜପତି ମହାରାଜାଙ୍କ ସ୍ଵାଭିମାନର କାଞ୍ଚି ଅଭିଯାନ, ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଯୁଦ୍ଧରେ ଯୋଗଦାନ ଓ କାଞ୍ଚି ରାଜାଙ୍କ ପରାଜୟ ସମ୍ପର୍କିତ। କାଞ୍ଚି ରାଜାଙ୍କୁ ପରାସ୍ତ କରି ଗଣପତି, ମଦନମୋହନ, ରଘୁନାଥ ଜୀଉ ଓ ମା ତାରିଣୀ ଙ୍କ ସହ ପୁରୀ ପ୍ରତ୍ୟାବର୍ତ୍ତନ କଲେ।ଓଡ଼ିଶାର ସର୍ବ ପୁରାତନ ଶ୍ରୀରାମ ମନ୍ଦିର କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁର ରେ ଅବସ୍ଥିତ ରଘୁନାଥ ଜୀଉ ମନ୍ଦିର। ଏହି ମନ୍ଦିର ଗୋବିନ୍ଦ ଭଞ୍ଜ ଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଓ ସେ ପ୍ରତିଦିନ ଏଠାକୁ ଆସି ରଘୁନାଥ ଜୀଉଙ୍କୁ ଦର୍ଶନ କରୁଥିଲେ। ତାଙ୍କ ନାମରେ ସେହି ଗ୍ରାମର ନାମ ବୀରଗୋବିନ୍ଦପୁର ହୋଇଛି।

୧୪୮୦ ରେ କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜଙ୍କ ମୃ-ତ୍ୟୁ ହେବାରୁ ଗଜପତି ମହାରାଜାଙ୍କ ଆଦେଶରେ ଗୋବିନ୍ଦ ଭଞ୍ଜ ରାଜା ହେଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହି ମା ତାରିଣୀ ଙ୍କୁ ପୁରୀରୁ କେନ୍ଦୁଝର ଆଣି ପାରିନଥିବାରୁ ଅତ୍ୟନ୍ତ ଦୁଃଖିତ ରହୁଥିଲେ। ମା ତାରିଣୀ ସନ୍ତାନ ର ଅନ୍ତରର ବ୍ୟଥା ଜାଣିଲେ।ଅଳ୍ପ ଦିନ ମଧ୍ୟରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଡାକରାରେ ଗୋବିନ୍ଦ ଭଞ୍ଜ ପୁରୀ ଗଲେ। ସେଠାରେ ଗଜପତି ତାଙ୍କୁ ସମ୍ବର୍ଦ୍ଧନା ସ୍ଵରୁପ “ଜୟ ଗୋବିନ୍ଦ ଭଞ୍ଜ ମହାରାଜ” ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ ଉପହାର ଦେଇଥିଲେ। ଏହି ଅଞ୍ଚଳ ଆନନ୍ଦପୁର ଉପଖଣ୍ଡ।ସେ ମା ତାରିଣୀ ଙ୍କୁ କେନ୍ଦୁଝର ନେବା ପାଇଁ ଇଛୁକ ବୋଲି ଗଜପତି ମହାରାଜାଙ୍କୁ ଜଣାଇଲେ। ଗଜପତି ମହାରାଜା ଓ ମହାରାଣୀ ତାଙ୍କୁ ପୁତ୍ର ଭଳି ସ୍ନେହ କରୁଥିଲେ।

ଗଜପତି କହିଲେ ମା’ଙ୍କୁ ନେବା ସହଜ ନୁହେଁ।ସେ ତ ପାତାଳ ଭେଦୀ ପ୍ରତିମା। ଅତି ମନକଷ୍ଟରେ ମା’ଙ୍କୁ ଦର୍ଶନ କରି‌ ଗୋବିନ୍ଦ ଭଞ୍ଜ ମନକଥା ପ୍ରକାଶ କଲେ। ମା’ଙ୍କ ନିର୍ଦ୍ଦେଶ ହେଲା, ଗୋବିନ୍ଦ ଆଗେ ଆଗେ ଘୋଡାରେ ଯିବ। ତାଙ୍କ ପଛେ ପଛେ ଘୋଡାରେ ବସି ମା ତାରିଣୀ ଯିବେ। ଯେଉଁଠି ଗୋବିନ୍ଦ ପଛକୁ ଚାହିଁବ, ସେଠାରେ ମା ପଥର ମୂର୍ତ୍ତି ହୋଇଯିବେ। ଗୋବିନ୍ଦ ଭଞ୍ଜ ପଛରୁ ମା’ଙ୍କ ପଦ ନୁପୁର ଶବ୍ଦ ଶୁଣିଶୁଣି ଆଗକୁ ଚାଲିଲେ। କେନ୍ଦୁଝର ର ପ୍ରାକୃତିକ ବନରାଜି ମଧ୍ୟରେ ଅନେକ ସମୟ ଧରି ମା’ଙ୍କ ପାଦ ନୁପୁର ଶବ୍ଦ ଶୁଣା ନଯିବାରୁ ଗୋବିନ୍ଦ ଭଞ୍ଜ ପଛକୁ ଫେରି ଚାହିଁଲେ।ମା ସର୍ବଶକ୍ତିମୟୀ ତାରିଣୀ ନିଜ ଇଚ୍ଛାରେ ସେହି ପ୍ରାକୃତିକ ଶୋଭା ଭରା ଶାଳବଣ ମଧ୍ୟରେ ଅବସ୍ଥାନ କଲେ ଯାହା ଏବେ ଘଟଗାଁ ପୀଠ ସ୍ଥଳୀ ଭାବରେ ଜଣା।

ନବରତ୍ନେ ଗଢା ସେହି ଅମୃତ ପ୍ରତିମା ଭଳି ମା ତାରିଣୀ ଙ୍କ ମୂର୍ତ୍ତି।ଫଟୋରେ କିଛି ହାତ ଦେଖାଯାଉ ନଥିଲେ ମଧ୍ୟ ମା ଚତୁର୍ଭୁଜା। ମନ୍ଦାର ମାଳିନୀ, ସିନ୍ଦୁର ଧାରିଣୀ, ସଂସାର ପାଳିନୀ, ମମତାମୟୀ ମା ତାରିଣୀ ଙ୍କର ଆଦ୍ୟ ପୂଜକ ହେଉଛନ୍ତି ବନବାସୀ ମାନେ।ସମୟ ସମୟରେ ପୂଜକ ଦେହୁରୀ ପରିବାରର କାହା ଘରେ ଜନ୍ମ ବା ମୃ-ତ୍ୟୁ ହେଲେ ମା ତାରିଣୀ ଙ୍କ ପୂଜାର୍ଚ୍ଚନା ରେ ଅସୁବିଧା ହେଉଥିବାରୁ ଗୋବିନ୍ଦ ଭଞ୍ଜ ମା’ଙ୍କ ଶରଣାପନ୍ନ ହେଲେ।ମଙ୍ଗଳକାରିଣୀ ମା ତାରିଣୀ ଭକ୍ତର ନିବେଦନ ଗ୍ରହଣ କରି ସ୍ଵପ୍ନରେ ଆଦେଶ ଦେଲେ, “ଗୋଟିଏ ମାଟି ଘଟରେ ଗୋ ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଅବସ୍ଥିତ କୁସୁମ ବୃକ୍ଷ ଡାଳରେ ଝୁଲାଇ ରଖିବୁ। ଦେହୁରୀ ପୂଜା ପରେ ପ୍ରତ୍ୟେକ ଦିନ ପୂଜା ପାଣିକୁ ନେଇ ସେହି ଘଟରେ ସିଞ୍ଚିବ।ପୂଜକ ଦେହୁରୀ ଅସୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାପରେ ସେ ଶୁଦ୍ଧପୂତ ଭାବେ ପୂଜା କରିପାରିବ।”

Leave a Reply

Your email address will not be published. Required fields are marked *