ସମଗ୍ର ଦେଶରେ ହସ ଉଲ୍ଲାସର ସହ ପାଳନ କରାଯାଉଛି ଗଣେଶ ପୂଜା। ଗଣେଶ ଚତୁର୍ଥୀରୁ ଏହି ପୂଜା ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହୁଏ । ଆଜି ଆମେ ଜାଣିବା ଗଣେଶଙ୍କୁ ବିସର୍ଜନ କାହିଁକି କରାଯାଏ । ପ୍ରଥାରେ ରହିଛି ପୂଜା ଆରମ୍ଭର ୧୧ ଦିନରେ ପଡେ ଅନନ୍ତ ଚତୁର୍ଦ୍ଦଶୀ । ସେହିଦିନ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବାର ପରମ୍ପରା ରହିଛି । ଏହି ଦିନ ଗଣେଶ ଉତ୍ସବ ଶେଷ ହୁଏ ।
ଧାର୍ମିକ ଗ୍ରନ୍ଥ ଅନୁସାରେ ଯେବେ ବେଦବ୍ୟାସ ମହାଭାରତ କଥା ୧୦ ଦିନଯାଏଁ ଗଣେଶଙ୍କୁ ଶୁଣାଇ ଥିଲେ ସେତେବେଳେ ସେ ନିଜ ଆଖି ବନ୍ଦ କରି ଦେଇଥିଲେ । ଆଉ ଯେବେ ୧୦ ଦିନ ପରେ ଆଖି ଖୋଲି ଦେଖିଲେ ସେତେବେଳେ ଗଣେଶଙ୍କ ଚାରି ପଟେ ଏକ ତେଜ ସୃଷ୍ଟି ହୋଇଥିଲା ଏବଂ ଗଣେଶଙ୍କ ଶରୀର ଖୁବ ଜୋରରେ ତାତି ଯାଇଥିଲା । ତାପରେ ଦେଦବ୍ୟାସ ଗଣେଶଙ୍କୁ ନିକଟରେ ଥିବା ଏକ ପାଣି କୁଣ୍ଡରେ ସ୍ନାନ କରାଇ ଦେଲେ ଏହା ପରେ ତାଙ୍କ ଶରୀରର ତାପ କମିଯାଇଥିଲା ।
ସେଥିପାଇଁ ଗଣେଶ ମୂର୍ତ୍ତି ସ୍ଥାପନ କରିବାର ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କରାଯାଏ ଓ ୧୧ ଦିନ ଜଳରେ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରାଯାଏ । ଗଣେଶ ବିସର୍ଜନର ଆଉ ଏକ ମହତ୍ତ୍ୱ ରହିଛି । ଏହି ମୂର୍ତ୍ତି ମାଟିରେ ତିଆରି ହୋଇଥାଏ ଓ ବିସର୍ଜନ କରିବା ଦ୍ୱାରା ଏହା ମାଟିରେ ହିଁ ମିଶିଯାଏ । ଏହା ଏକ ବାସ୍ତବତା ଅଟେ । ଯାହା ମଣିଷ ଜୀବନରେ ହିଁ ଘଟିଥାଏ । ଅର୍ଥାତ ସବୁ ଜୀବନ ଦିନେ ନା ଦିନେ ମାଟିରେ ହିଁ ମିଶିଥାଏ ବୋଲି ଗଣେଶ ବିସର୍ଜନ ଦ୍ୱାରା ଦର୍ଶାଯାଇଛି ।
ଆପଣ ଜାଣନ୍ତି କେବେଠାରୁ ଏହି ଉତ୍ସବ ପାଳନ ହୋଇଆସୁଛି । ଏମିତି ତ ଏହା ବହୁ ବର୍ଷ ପୂର୍ବରୁ ପାଳନ ହୋଇଆସୁଛି, କିନ୍ତୁ ୧୮୯୩ ମସିହା ଯାଏଁ ଏହା ଘର ଭିତର ପୂଜାରେ ସୀମିତ ଥିଲା । ସେହି ସମୟରେ ସାମୁହିକ ପୂଜା କରାଯାଉ ନଥିଲା । ଏବେ ଯେମିତି ବଡ଼ ବଡ଼ ମେଢ଼ ତିଆରି ହେଉଛି ପୂର୍ବରୁ ସେଭଳି ହେଉ ନଥିଲା । ୧୯୮୩ରେ ବାଲ ଗଙ୍ଗାଧର ତିଳକ ଇଂରେଜଙ୍କ ବିରୋଧରେ ଭାରତୀୟଙ୍କୁ ଏକାଠି କରିବା ପାଇଁ ଏହି ଉତ୍ସବର ଆୟୋଜନ କରିଥିଲେ। ହଜାର ହଜାର ଲୋକ ଏଥିରେ ସାମିଲ ହେଲେ ।
ତାପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଓ ଆଜି ପୂରା ଦେଶରେ ଗଣେଶ ପୂଜା ବଡ଼ ଧୁମ ଧାମରେ ପାଳନ କରାଯାଉଛି । ବାଲ ଗଙ୍ଗାଧର ଏହାର ଆୟୋଜନ କେବଳ ମହାରାଷ୍ଟ୍ରରେ କରିଥିଲେ । ଯେହେତୁ ମହାରାଷ୍ଟ୍ରରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ଉତ୍ସବ ତେଣୁ ଏଠାରେ ବଡ଼ ପର୍ବ ହିସାବରେ ଖୁବ ଆଡ଼ମ୍ବରରେ ପାଳନ ହୋଇଆସୁଛି ଗଣେଶ ପୂଜା । ବାଲ ଗଙ୍ଗାଧର ତିଳକ ସେହି ସମୟରେ ସ୍ୱରାଜ ପାଇଁ ସଂଘର୍ଷ କରୁଥିଲେ । ଆଉ ତାଙ୍କୁ ଏଭଳି ଏକ ମଞ୍ଚର ଆଵଶ୍ୟକତା ଥିଲା ଯାହା ମଧ୍ୟମରେ ତାଙ୍କ କଥା ଅଧିକରୁ ଅଧିକ ଭାରତୀୟଙ୍କ କାନରେ ବାଜି ପାରିବ । ସେଥିଲାଗି ଗଣେଶ ପୂଜା କରାଗଲା । ଯାହାର ଛବି ଆଜିବି ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି ।