ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ଶାସ୍ତ୍ରରେ କୁହାଯାଇଛି ଯେ ‘ଶିବ ଅଭିଷେକ ପ୍ରିୟ’। ଅର୍ଥାତ୍ କଲ୍ୟାଣକାରୀ ଶିବଙ୍କୁ ଅଭିଷେକ ବହୁତ ପ୍ରିୟ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ଭଗବାନ ଶିବଙ୍କୁ ପୂଜା କରିବାର ଉଚିତ ଉପାୟ ହେଉଛି ପ୍ରଦୋଷ କାଳ। ଏମିତି କୁହାଯାଏ ଯେ ଶିବଙ୍କର ଆରାଧନା ଦିନ ଏବଂ ରାତିର ମିଳନ ସମୟରେ କରିବା ଶୁଭ ବୋଲି ଧରାଯାଏ। ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀ, ଇନ୍ଦ୍ରାଣୀ, ସରସ୍ବତୀ, ଗାୟତ୍ରୀ, ସାବିତ୍ରୀ, ସୀତା, ପାର୍ବତୀ ମଧ୍ୟ ଶିବରାତ୍ରୀର ବ୍ରତ କରି ଭଗବାନ ଶିବଙ୍କର ପୂଜା କରୁଥିଲେ।
ଭଗବାନ ଶିବ ନିଜର ଭକ୍ତ ମାନଙ୍କର ପୂଜା-ଆରାଧନାରେ ଖୁସି ହୋଇ ତାଙ୍କୁ ରକ୍ଷା କରିବା ପାଇଁ ବହୁତ ଅବତାର ନେଇଛନ୍ତି। ହିନ୍ଦୁଧର୍ମ ଗ୍ରନ୍ଥ ପୁରାଣ ଅନୁସାରେ ଭଗବାନ ଶିବ ହିଁ ବ୍ରହ୍ମାଣ୍ଡର ଆଦି କାରଣ ଅଟନ୍ତି। ତାଙ୍କ ଠାରୁ ବ୍ରହ୍ମା, ବିଷ୍ଣୁଙ୍କ ସହିତ ସମସ୍ତ ସ୍ରୁଷ୍ଟିର ଉଦ୍ଭବ ହୋଇଥିଲା। ଯେଉଁଭଳି ଭାବରେ ବିଷ୍ଣୁଙ୍କର ୨୪ ପ୍ରକାର ଅବତାର ଥିଲା ସେହିଭଳି ଶିବଙ୍କର ୨୮ ଅବତାର ଥିଲା। ଏହି ଅବତାର ମଧ୍ୟରୁ ଶିବଙ୍କର ଅର୍ଦ୍ଧନାରୀଶ୍ବର ଅବତାର ଅନ୍ୟତମ। ହିନ୍ଦୁ ଧର୍ମରେ ପ୍ରାଚୀନ ଯୁଗରୁ ଭଗବାନ ଶିବଙ୍କର ପୂଜା ହୋଇଆସୁଛି। କିନ୍ତୁ ଏହି କଥା ଖୁବ କମ ଜାଣିଥିବେ କି ଭଗବାନ ଶିବଙ୍କର ଅନ୍ୟ ଏକ ଅବତାର ରହିଛି ଯାହା ଅର୍ଦ୍ଧନାରୀଶ୍ବର ଅବତାର। ବାସ୍ତବରେ ଭଗବାନ ଶିବ ନିଜ ଇଛାରେ ଏହି ଅବତାର ଧାରଣ କରିଥିଲେ।
ବିଶ୍ବରେ ସ୍ତ୍ରୀ ଏବଂ ପୁରୁଷ ଉଭୟ ସମାନ ବୋଲି ଭଗବାନ ଶଙ୍କର ଏହି ରୂପ ମାଧ୍ୟମରେ ସମସ୍ତ ଲୋକମାନଙ୍କୁ ଜଣାଇବାକୁ ଚାହୁଁଥିଲେ। ଭଗବାନ ଶିବଙ୍କର ଏହି ଅବତାରରେ ଅଧା ଶରୀର ସ୍ତ୍ରୀ ଏବଂ ଅଧା ଶରୀର ପୁରୁଷ। ଏହି ଅବତାର ସ୍ତ୍ରୀ ଏବଂ ପୁରୁଷଙ୍କର ସମାନତାକୁ ଦର୍ଶାଇଥାଏ। ସମାଜ ଏବଂ ପରିବାରରେ ଯେତିକି ମହତ୍ବ ପୁରୁଷଙ୍କର ରହିଥାଏ ସେତିକି ମହତ୍ବ ସ୍ତ୍ରୀ ମାନଙ୍କର ମଧ୍ୟ ରହିଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଥରେ ବ୍ରହ୍ମା ସୃଷ୍ଟି ରଚନା କରିବାର କାମ ସମାପ୍ତ କରିଥିଲେ। ସେହି ସମୟରେ ଭଗବାନଙ୍କ ସୃଷ୍ଟି ରଚନାରେ ବିକାଶର କୌଣସି ମାଧ୍ୟମ ନଥିଲା। ଯେତିକି ପଶୁ-ପକ୍ଷୀ ଏବଂ କୀଟ-ପତଙ୍ଗର ରଚନା କରିଥିଲେ ସେଥିରେ ତାଙ୍କର ସଂଖ୍ୟା ବୃଦ୍ଧି ମଧ୍ୟ ହେଉନଥିଲା। ଏହାକୁ ଦେଖି ବ୍ରହ୍ମା ଚିନ୍ତିତ ହୋଇଥିଲେ। ଏହି ସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲେ।
ଭଗବାନ ବିଷ୍ଣୁ ଏହି କଥା ପାଇଁ ବ୍ରହ୍ମାଙ୍କୁ ଭଗବାନ ଶିବଙ୍କୁ ଆରାଧନା କରିବା ପାଇଁ କହିଥିଲେ। ସେ ହିଁ କିଛି ଉପାୟ ବାହାର କରିପାରିବେ। ଏହା ପରେ ବ୍ରହ୍ମା ଭଗବାନ ଶଙ୍କରଙ୍କୁ ତପସ୍ୟା କରିଥିଲେ। ଏହି ସମୟରେ ଭଗବାନ ଶିବ ପ୍ରକଟ ହୋଇ ମୈଥୁନି ସୃଷ୍ଟିର ରଚନା କରବାପାଇଁ ଆଦେଶ ଦେଇଥିଲେ। ଏହି ସମୟରେ ବ୍ରହ୍ମା ମୈଥୁନି ସୃଷ୍ଟି କିପରି ହେବ ବୋଲି ଭଗବାନ ଶିବଙ୍କୁ ପଚାରିଥିଲେ। ମୈଥୁନି ସୃଷ୍ଟିର ରହସ୍ୟ ବୁଝାଇବାକୁ ଯାଇ ଭଗବାନ ଶିବ ନିଜ ଶରୀରର ଅଧା ଅଂଶକୁ ନାରୀ ରୂପରେ ପ୍ରକଟ କରିଥିଲେ। ଏହା ପରେ ନର ଏବଂ ନାରୀ ଦୁଇ ଅଂଶ ଅଲଗା-ଅଲଗା ହୋଇଯାଇଥିଲା। ବ୍ରହ୍ମା ନାରୀ ସ୍ବରୂପ ପ୍ରକଟ କରିବାରେ ଅସମର୍ଥ ଥିଲେ, ଏହି କାରଣରୁ ଭଗବାନ ଶିବ ନାରୀ ସ୍ବରୂପ ନିଜ ରୂପ ଭଳି ଅନ୍ୟ ଏକ ନାରୀଙ୍କର ରଚନା କରି ବ୍ରହ୍ମାଙ୍କ ନିକଟରେ ସମର୍ପଣ କରିଥିଲେ। ଏହାପରେ ଅର୍ଦ୍ଧନାରୀଶ୍ବର ସ୍ବରୂପ ଏକତ୍ରିତ ହୋଇ ପୂନର୍ବାର ଶିବ ରୂପ ଧାରଣ କରିଥିଲେ। ଶେଷରେ ମୈଥୁନି ସୃଷ୍ଟି ମାଧ୍ୟମରେ ସଂସାରରେ ବିକାଶ ସମ୍ଭବ ହୋଇପାରିଲା।